Navigation
ଓଡ଼ିଆ ବ୍ୟାକରଣ (Odia Grammar) ଅନୁଚ୍ଛେଦ ଲିଖନ
ତୃତୀୟ ଅଧ୍ୟାୟ: ଅନୁଚ୍ଛେଦ ଲିଖନ
“ବଳରାମ ଦାସ ହେଉଛନ୍ତି ପଞ୍ଚସଖା ଯୁଗର ବୟୋଜ୍ୟେଷ୍ଠ କବି । ‘ଜଗମୋହନ ରାମାୟଣ’ ହେଉଛି ତାଙ୍କର ସର୍ବଶ୍ରେଷ୍ଠ କୃତି । ଏ ଗ୍ରନ୍ଥଟି ‘ଦାଣ୍ଡିରାମାୟଣ’ ନାମରେ ମଧ୍ୟ ଖ୍ୟାତ । ଏହା ବାଲ୍ମୀକି କୃତ ସଂସ୍କୃତ ରାମାୟଣର ଅନୁବାଦ ନୁହେଁ; ଅପରନ୍ତୁ ସେହି ଗ୍ରନ୍ଥର ଅନୁସରଣରେ ଲିଖିତ ଏକ ମୌଳିକ ରାମାୟଣ । ଏଥରେ ଓଡ଼ିଶାର ସମାଜ, ସଂସ୍କୃତି, ଅର୍ଥନୀତି, ଜୀବନଧାରା ଏପରି ଭାବରେ ବର୍ଣ୍ଣିତ ହୋଇଛି ଯେ ଗ୍ରନ୍ଥଟି ପାଠ କଲାକ୍ଷଣି ଓଡ଼ିଆ ଜାତିର ନିଜସ୍ଵ ଚିତ୍ର ଆଖି ଆଗରେ ଝଲସି ଉଠେ ।”
ଉପରଲିଖିତ ଅଂଶକୁ ଆଲୋଚନା କଲେ ଦେଖିବା ଯେ ଏଥିରେ ଗୋଟିଏ ଭାବବିନ୍ଦୁ ଉପରେ ଗୁରୁତ୍ବ ଦିଆଯାଇଛି । ତାହା ହେଉଛି, “ବଳରାମ ଦାସ କୃତ ଜଗମୋହନ ରାମାୟଣ ବା ଦାଣ୍ଡିରାମାୟଣର ମାହାତ୍ମ୍ୟ ।” ଏହି ଭାବବିନ୍ଦୁଟିର ବର୍ଣ୍ଣନା ପାଇଁ ଏକାଧିକ ବାକ୍ୟର ପ୍ରୟୋଜନ ହୋଇଛି ଏବଂ ବାକ୍ୟଗୁଡ଼ିକ ମଧ୍ୟରେ ପାରସ୍ପରିକ ସମ୍ପର୍କ ମଧ୍ୟ ରହିଛି ।
ପ୍ରତ୍ୟେକ ଭାବବିନ୍ଦୁ ବର୍ଣ୍ଣନା ପାଇଁ ଗୋଟିଏ ଲେଖାଏଁ ସୋପାନ ବା ପର୍ଯ୍ୟାୟ ରଖାଯାଏ । ମୋଟ ଉପରେ ମଣିଷର ଭାବନା ତାହ୍ୟ ଓ ବିସ୍ତୃତ । ପ୍ରତ୍ୟେକ ଭାବ ବିନ୍ଦୁର ବିସ୍ତାର ପାଇଁ ଏକାଧିକ ବାକ୍ୟର ପ୍ରୟୋଜନ ହୋଇଥାଏ । ଏହି ଭାବବିନ୍ଦୁ ସଂଯୁକ୍ତ ବାକ୍ୟସମୂହର ଏକତ୍ର ଅବସ୍ଥାନ ବା ପର୍ଯ୍ୟାୟକୁ ‘ଅନୁଚ୍ଛେଦ’ କୁହାଯାଏ । ଏହା ସାଧାରଣତଃ ଗଦ୍ୟ ସାହିତ୍ୟର ପ୍ରବନ୍ଧ, ଉପନ୍ୟାସ ଓ ଗଳ୍ପରେ ଦେଖିବାକୁ ମିଳିଥାଏ । ସର୍ବୋପରି ଏହା କୁହାଯାଇପାରେ ଯେ –
“ଗୋଟିଏ ଭାବବିନ୍ଦୁର ବର୍ଣ୍ଣନା ପାଇଁ ପ୍ରୟୋଜନ ହେଉଥିବା ବାକ୍ୟ ବା ବାକ୍ୟ ସମୂହର ଏକତ୍ର ଅବସ୍ଥାନକୁ ‘ଅନୁଚ୍ଛେଦ’ କୁହାଯାଏ ।”
ଭାବ ବିନ୍ଦୁର ପ୍ରୟୋଜନ ଅନୁଯାୟୀ ଅନୁଚ୍ଛେଦ ବଡ଼ ବା ଛୋଟ ହୋଇପାରେ । ଏହା ଦ୍ବାରା ଚିନ୍ତାର କ୍ରମବିକାଶ ସ୍ପଷ୍ଟ ହୋଇଥାଏ । ଏହି ଅନୁଚ୍ଛେଦ ଲିଖନ ହେଉଛି ଭାବ ବିସ୍ତାର ପାଇଁ ଏକ ପ୍ରକୃଷ୍ଟ ଉପାଦାନ । ଏହାର କେତୋଟି ମାର୍ଗ ହେଉଛି:
- ଭାବବିନ୍ଦୁକୁ ସଂପ୍ରସାରଣ କରି ଅନୁଚ୍ଛେଦ ଲିଖନ ।
- ଅନୁଚ୍ଛେଦର ସଂକ୍ଷିପ୍ତୀକରଣ ।
- ପ୍ରଦତ୍ତ ଅନୁଚ୍ଛେଦ ଅବବୋଧ ନିମିତ୍ତ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ପ୍ରଦାନ ।
୩.୧. ଭାବ ସଂପ୍ରସାରଣର ନିୟମ
(କ) ଭାବବିନ୍ଦୁଟିକୁ ପାଠକ ହୃଦୟରେ ପହଞ୍ଚାଇବା ପାଇଁ ଲେଖକ ଚେଷ୍ଟା କରିବା ଉଚିତ ।
(ଖ) ମୁଖ୍ୟତଃ ଭାବ ତଥା ଭାଷା ବୋଧଗମ୍ୟ ହେବା ଅତୀବ ପ୍ରୟୋଜନ ।
(ଗ) ଅତିରଞ୍ଜିତ ବର୍ଣ୍ଣନା ମଧ୍ୟ ଭାବବିନ୍ଦୁର ମହତ୍ତ୍ବକୁ ଖଣ୍ଡନ କରିଥାଏ । ତେଣୁ ସେଭଳି ବର୍ଣ୍ଣନା ଅନାବଶ୍ୟକ ।
(ଘ) ସବୁଠାରୁ ବଡ଼କଥା ହେଉଛି ଭାବବିନ୍ଦୁକୁ ସ୍ପଷ୍ଟ କରିବା ।
୩.୨. ଭାବ ସଂପ୍ରସାରଣ (ନମୁନା)
(୧) ଈଶ୍ବର ଯାହାକରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।
ମଣିଷ ଜାତି ଅତି ସୁବିଧାବାଦୀ । ସୁଖ ସୁବିଧା ପାଉଥିବା ପର୍ଯ୍ୟନ୍ତ ସେ ଭଗବାନଙ୍କର ଜୟଗାନ କରିଥାଏ । କିନ୍ତୁ ବିପଦରେ ପଡ଼ିଲେ ବା ଦୁଃଖ ଭୋଗିଲେ ଜୟଗାନ କରିବା ତ ଦୂରରକଥା; ଅଧିକନ୍ତୁ ଭଗବତ୍ ନାମସ୍ମରଣ କରିବାକୁ ମଧ୍ୟ କୁଣ୍ଠାବୋଧ କରିଥାଏ । ପ୍ରକୃତପକ୍ଷେ ତା’ର ଜାଣିବା ଉଚିତ ଯେ ଈଶ୍ବରଙ୍କ ଦରବାରରେ ପାତର ଅନ୍ତର ନୀତି ନାହିଁ । କର୍ମ ଅନୁଯାୟୀ ସେ ଫଳ ପ୍ରଦାନ କରିଥାନ୍ତି । କିନ୍ତୁ ଯାହା କରନ୍ତି ତାହା ପ୍ରାଣୀର ମଙ୍ଗଳ ପାଇଁ କରିଥାନ୍ତି ।
ଉଦାହରଣ : ଗୋଟିଏ ଗ୍ରାମରେ ଗୋବିନ୍ଦ ଓ ଗୋପାଳ ନାମରେ ଦୁଇଜଣ ସାଙ୍ଗ ଥିଲେ । ଥରେ ଦୁହେଁ ଜଙ୍ଗଲ ବୁଲିବାକୁ ଯାଇଥିଲେ । ଗଛରେ ପାଚିଲା ଜାମୁକୋଳି ଦେଖି ଦୁହିଁଙ୍କର ଲୋଭ ହେଲା । ଗୋବିନ୍ଦ ଗଛ ଚଢ଼ି ହଲାଉଥାଏ ଓ ଗୋପାଳ ତଳେ රହି କୋଳି ଗୋଟାଉଥାଏ । ଏତିକିବେଳେ କେଉଁଠି ଥିଲା କେଜାଣି ମସ୍ତବଡ଼ ଅଣ୍ଡିରା ଭାଲୁଟା ମାଡ଼ି ଆସିଲା । ଗୋପାଳ ଦୌଡ଼ିଲା ପଛଆଡ଼କୁ ଅଣନିଃଶ୍ୱାସୀ ହୋଇ । ଗଛ ଉପରୁ ଗୋବିନ୍ଦ ଚଢ଼ିବାକୁ ଚେଷ୍ଟା କଲାବେଳେ ଫଟକରି ତଳକୁ ଖସି ପଡ଼ିଲା। କିଛି ଯୁବକ ତାକୁ ଧରିନେଲେ ଦେବୀଙ୍କ ପାଖରେ ବଳି ଦେବା ପାଇଁ । କିନ୍ତୁ ବଳି ଦେବା ସମୟରେ ତା’ ଖଣ୍ଡିଆ ଶରୀର ଦେଖି ସେ ବଳି ପାଇଁ ଯୋଗ୍ୟ ନୁହେଁ ବୋଲି ଘୋଷଣା କରାଗଲା ଓ ତାକୁ ଛାଡ଼ି ଦିଆଗଲା। ସେତେବେଳେ ଯାଇ ତା’ର ଚେତା ପଶିଲା ଯେ ଈଶ୍ବର କେଡ଼େ ଦୟାବନ୍ତ ! ତା’ର ଖଣ୍ଡିଆ ଶରୀର ଯୋଗୁଁ ହିଁ ସେ ମୃତ୍ୟୁମୁଖରୁ ରକ୍ଷା ପାଇଗଲା।
(୨) କୁକୁର ଲାଙ୍ଗୁଡ଼ ବାର ବରଷରେ ସଳଖେ ନାହିଁ ।
କୁକୁର ଲାଙ୍ଗୁଡ଼ ସ୍ଵଭାବତଃ ବଙ୍କା । ଜଣେ ଧନୀ ବ୍ୟକ୍ତି ତାକୁ ସଳଖ କରିବା ପାଇଁ ଅନେକ ଚେଷ୍ଟା କଲେ । ଜଣେ ସେବକକୁ ନିଯୁକ୍ତ କଲେ, ଲାଙ୍ଗୁଡ଼କୁ ଆଉଁସି ସିଧା କରିବାକୁ । ବହୁ ବର୍ଷ ବିତିଲେ ମଧ୍ୟ କିଛି ଫଳ ହେଲା ନାହିଁ । ସାଧୁଙ୍କ ପରାମର୍ଶ କ୍ରମେ ବାଉଁଶ ନଳରେ, ପରେ ରୂପା ନଳରେ ଓ ଶେଷରେ ସୁନା ନଳରେ ବାର ବର୍ଷ ଧରି ଲାଙ୍ଗୁଡ଼କୁ ଭର୍ତ୍ତି କରି ରଖାଗଲା । କିନ୍ତୁ ଯେତେବେଳେ ନଳ ବାହାର କରାଗଲା, ଲାଙ୍ଗୁଡ଼ଟି ପୂର୍ବପରି ବଙ୍କା ହୋଇ ରହିଲା ।
ତାତ୍ପର୍ଯ୍ୟ : ମୂର୍ଖ, ନିର୍ବୋଧ ତଥା ଦୁଷ୍ଟପ୍ରକୃତିର ଲୋକଙ୍କ ପାଇଁ ଯେତେ ପ୍ରକାର ମହତ ବାଣୀ ପ୍ରୟୋଗ କଲେ ମଧ୍ୟ ତାହା ତାଙ୍କ ପାଇଁ ଫଳ ପ୍ରଦାୟକ ହୁଏ ନାହିଁ ।
(୩) ନଈ କେ ବାଙ୍କ, ଦେଶ କେ ଫାଙ୍କ ।
ପ୍ରତ୍ୟେକ ନଦୀର ଗତିପଥ ବକ୍ର ହୋଇଥାଏ ଏବଂ ତା’ର ଜଳରାଶି ସେହି ଅଙ୍କାବଙ୍କା ପଥ ଦେଇ ଗତି କରେ । ସେହିପରି ପ୍ରତ୍ୟେକ ଦେଶର ଚଳଣି ରୀତି (ଫାଙ୍କ) ସ୍ଵତନ୍ତ୍ର । ଖାଦ୍ୟ, ପାନୀୟ, ପୋଷାକ ଓ ଭାଷା କ୍ଷେତ୍ରରେ ବିଭିନ୍ନ ଦେଶ ମଧ୍ୟରେ ତାରତମ୍ୟ ରହିଥାଏ । ବୁଦ୍ଧିମାନ ବ୍ୟକ୍ତି ଅନ୍ୟର ରୀତିନୀତି ପ୍ରତି ଅସୂୟା ଭାବ ପୋଷଣ ନକରି ନିଜକୁ ସେଥିରେ ସାମିଲ କରିନିଏ । ଏହି ମର୍ମରେ ମଧ୍ୟ କୁହାଯାଇପାରେ – “ଯେ ଦେଶେ ଯାଇ, ସେ ଫଳ ଖାଇ ।”
(୪) ବଇଦ ବଜନ୍ତି ମଣିଷ ଗାର ଯେଶିକି ଓଟାରେ ତେଣିକି ଯାଉ ।
ମନୁଷ୍ୟ ଯେପରି କର୍ମ କରିଥାଏ, ତାକୁ ସେପରି ଫଳ ମିଳିଥାଏ । ମଣିଷ ଚେଷ୍ଟାର ଊର୍ଦ୍ଧ୍ବରେ ରହିଛି ନିୟତି ବା ଦୈବର ବିଧାନ । ପରିଶ୍ରମ ଓ ଯୋଗ୍ୟତା ଥିଲେ ମଧ୍ୟ ପୂର୍ବଜନ୍ମର କର୍ମଫଳ ଅନୁଯାୟୀ ମଣିଷ ଭାଗ୍ୟରେ ଫଳ ପ୍ରାପ୍ତ ହୋଇଥାଏ । ଏଥିରେ ଅନ୍ୟପ୍ରତି ଅସୂୟା ପ୍ରକାଶ କରିବା ଉଚିତ ନୁହେଁ ।
୩.୩. ଅନୁଚ୍ଛେଦ ପଠନ ଓ ସଂକ୍ଷିପ୍ତୀକରଣ
ଅଳ୍ପ ସମୟ ଭିତରେ ବହୁତ ଜାଣିଯିବାର ପ୍ରଚେଷ୍ଟା ଏ ଯୁଗକୁ ‘ସଂକ୍ଷେପର ଯୁଗ’ କରି ପକାଇଛି । ତେଣୁ ଭାଷା ଓ ସାହିତ୍ୟରେ ସଂକ୍ଷିପ୍ତୀକରଣ ପ୍ରକ୍ରିୟା ଅତି ଜରୁରୀ ।
ସଂକ୍ଷିପ୍ତୀକରଣ ପାଇଁ କେତୋଟି ମୁଖ୍ୟ କଥା :
- ଲେଖକଙ୍କର ସନ୍ଧି, ସମାସ, କୃଦନ୍ତ, ତଦ୍ଧିତ ଓ ବାକ୍ୟସଂକ୍ଷେପଣ ଆଦିରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟକ ।
- ବାକ୍ୟର ସାରାଂଶକୁ ନେଇ ନୂତନ କ୍ଷୁଦ୍ରବାକ୍ୟ ସୃଷ୍ଟି କରି ଅନୁଚ୍ଛେଦକୁ ସଂକ୍ଷିପ୍ତ କରାଯାଏ ।
- ବିଷୟର ମୂଳ ଭାବକୁ ଅଙ୍ଗହାନି ନ କରି ସଂକ୍ଷେପରେ ପ୍ରକାଶ କରିବାକୁ ହୁଏ ।
- ସାଧାରଣତଃ ମୂଳ ଅନୁଚ୍ଛେଦର ଏକ ତୃତୀୟାଂଶ (1/3) ଶବ୍ଦ ମଧ୍ୟରେ ଲେଖିବା ଉଚିତ ।
୩.୪. ପ୍ରଦତ୍ତ ଅନୁଚ୍ଛେଦ ଅବବୋଧ ପରୀକ୍ଷଣ (Comprehension)
ଛାତ୍ର-ଛାତ୍ରୀଙ୍କର ଅନୁଚ୍ଛେଦଟି ଅବବୋଧ ହେଲା କି ନାହିଁ, ତାହା ଜାଣିବା ପାଇଁ କେତୋଟି ସଂକ୍ଷିପ୍ତ ପ୍ରଶ୍ନ ପଚରାଯାଏ । ଉତ୍ତର ସର୍ବଦା ଅନୁଚ୍ଛେଦ ସହିତ ଜଡ଼ିତ ଥାଏ ।
ଉତ୍ତର ଦେବାର କୌଶଳ :
- ଅନୁଚ୍ଛେଦକୁ ଏକାଧିକବାର ସତର୍କତାର ସହିତ ପାଠ କରନ୍ତୁ ।
- ନିଜ ଭାଷାରେ ସରଳ ଓ ପୂର୍ଣ୍ଣ ବାକ୍ୟରେ ଉତ୍ତର ଦିଅନ୍ତୁ ।
ନମୁନା ଅନୁଚ୍ଛେଦ - ୧
ଶିକ୍ଷାର୍ଥୀମାନେ ଏପରି ଶିକ୍ଷା ଆହରଣ କରିବା ଉଚିତ ଯାହା ସମାଜ ଓ ବିଶ୍ୱପାଇଁ ହିତକର ହେବ । କେବଳ କେତୋଟି ଉପାଧି ଆହରଣ କରି ଅହଂକାର ପ୍ରକଟ କରିବା ନିର୍ବୋଧତାର ସଙ୍କେତ ଅଟେ। ଶିକ୍ଷାପଦ୍ଧତିକୁ ଠିକ୍ କରାଗଲେ ସମାଜ ପ୍ରଗତି କରିବ। ପାଶ୍ଚାତ୍ୟ ଶିକ୍ଷା ପ୍ରତି ଆଗ୍ରହ ବଢ଼ୁଥିବାରୁ ବେଦ ଅଧ୍ୟାୟ ଉପେକ୍ଷିତ ହୋଇଛି ।
ପ୍ରଶ୍ନ :
- ଶିକ୍ଷାର୍ଥୀମାନଙ୍କ ଶିକ୍ଷା କିପରି ହେବା ଉଚିତ ?
ଉତ୍ତର: ଶିକ୍ଷା ସର୍ବଦା ସମାଜ ଉପଯୋଗୀ ଓ ବିଶ୍ବପାଇଁ ମଙ୍ଗଳକର ହେବା ଉଚିତ । - ସମାଜ ଶିକ୍ଷାର୍ଥୀମାନଙ୍କ ଠାରୁ କ’ଣ ଆଶା କରେ ?
ଉତ୍ତର: ଶିକ୍ଷାର୍ଥୀମାନେ ଅହଂକାରୀ ନହୋଇ ସମାଜର ଆବଶ୍ୟକତା ବୁଝି ଦେଶସେବାରେ ନିୟୋଜିତ ହୁଅନ୍ତୁ ।
ନମୁନା ଅନୁଚ୍ଛେଦ - ୨
ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଅଭୂତପୂର୍ବ ପ୍ରଗତି ଘଟିଛି, ମାତ୍ର ମାନବଜାତି ଅଧୋମୁଖୀ ହେବାରେ ଲାଗିଛି । ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକ ପ୍ରୟୋଗ କରିବା ପାଇଁ ବିବେକ ରହିବା ଦରକାର । ବିବେକରହିତ ବିଜ୍ଞାନ କେବେ ମଙ୍ଗଳକର ହୁଏ ନାହିଁ ।
ପ୍ରଶ୍ନ :
- ବୈଜ୍ଞାନିକ ଉଦ୍ଭାବନ ସହିତ ବିବେକର ସଂପ୍ରଦାୟ କିପରି ହେବା ଉଚିତ ?
ଉତ୍ତର: ବୈଜ୍ଞାନିକ ଉଦ୍ଭାବନ ସହିତ ବିବେକର ସମନ୍ୱୟ ରହିବା ଉଚିତ, ନଚେତ୍ ଏହା ମାନବ ଜାତିର ଅନିଷ୍ଟ କରିବ। - ମଣିଷ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି କାହିଁକି ?
ଉତ୍ତର: ମନୁଷ୍ୟ ଭିତରେ ପଶୁପ୍ରବୃତ୍ତିର ପ୍ରଭୁତ୍ୱ ବିସ୍ତାର ହେଉଥିବାରୁ ସେ ମାନବୀୟ ମୂଲ୍ୟବୋଧ ହେଉଛି।
