2026-03-23
Highly Recommended

ଓଡ଼ିଆ ବ୍ୟାକରଣ (Odia Grammar)

ଓଡ଼ିଆ ବ୍ୟାକରଣର ଏକ ସମ୍ପୂର୍ଣ୍ଣ ଗାଇଡ୍: ବାକ୍ୟ ବିଚାର, ବନାନଗତ ଅଶୁଦ୍ଧି ଏବଂ ଅନୁଚ୍ଛେଦ ଲିଖନ (Paragraph Writing) ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା।

ଓଡ଼ିଆ ବ୍ୟାକରଣ (Odia Grammar) ବାକ୍ୟ ବିଚାର

ପ୍ରଥମ ଅଧ୍ୟାୟ: ବାକ୍ୟ ବିଚାର

Note

‘କହି ଜାଣିଲେ କଥା ସୁନ୍ଦର,
ବାନ୍ଧି ଜାଣିଲେ ମଥା ସୁନ୍ଦର।‘

୧. ବାନ୍ଧିବା ଜଣାଥିଲେ ମଥା ଯେମିତି ସୁନ୍ଦର ଦିଶେ, କହିବା ଜଣାଥିଲେ କଥା ସେମିତି ସୁନ୍ଦର ଲାଗେ। ସାଧାରଣ କଥାଟିକୁ କହିଜାଣିଲେ ଖୁବ୍ ସୁନ୍ଦର ଜଣାଯାଏ । ମନୋଭାବକୁ ଆମର ବଚନ ଦ୍ଵାରା ପ୍ରକାଶ କରାଯାଏ । ଏଥିପାଇଁ କେତୋଟି ଅଥବା ସ୍ଥାନ ବିଶେଷରେ ଅନେକ ଶବ୍ଦ ଆମେ ବ୍ୟବହାର କରୁ । ପୁଣି ଶବ୍ଦକୁ ଶବ୍ଦ ସାଙ୍ଗେ ଖଞ୍ଜି କରି କଥାବାର୍ତ୍ତା କରୁ । ଏହା ଫଳରେ କହିବା ବା ଭାବ ପ୍ରକାଶ କରିବା ସହଜ ହୁଏ ।

ବର୍ତ୍ତମାନ ଦେଖାଯାଉ-

  • କ. ଅରୁଣ କାଲି [ବକ୍ତବ୍ୟ ସମ୍ପୂର୍ଣ୍ଣ ନୁହେଁ]
  • ଖ. ଗଛରେ ଚଢ଼ି [ବକ୍ତବ୍ୟ ସମ୍ପୂର୍ଣ୍ଣ ନୁହେଁ]
  • ଗ. ଆମ୍ବ ତୋଳିଥିଲା [ବକ୍ତବ୍ୟ ସମ୍ପୂର୍ଣ୍ଣ ନୁହେଁ]

କ+ଖ+ଗ = ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା। [ବକ୍ତବ୍ୟ ସମ୍ପୂର୍ଣ୍ଣ]

ଏହା ମନର ଭାବକୁ ପୂର୍ଣ୍ଣ ରୂପେ ପ୍ରକାଶ କରୁଅଛି । ଏହାକୁ ବାକ୍ୟ କୁହାଯିବ। ଏଇ ବାକ୍ୟରେ ‘ଅରୁଣ’, ‘କାଲି’ ‘ଗଛରେ’ ‘ଚଢ଼ି’ ‘ଆମ୍ବ’ ‘ତୋଳିଥିଲା’ – ଏଇ ପଦଗୁଡ଼ିକ ବାକ୍ୟର ଗୋଟିଏ ଗୋଟିଏ ଏକକ ଏକାଠି ମିଶିଛନ୍ତି । ତେଣୁ ‘ଅରୁଣ’, ‘କାଲି’ ଇତ୍ୟାଦି ଗୋଟିଏ ଗୋଟିଏ ପଦ ।

ପ୍ରଶ୍ନ : ତୁ ଯାଉଛୁ ? ‘ତୁ’, ‘ଯାଉଛୁ’ – ଦୁଇଟି ପଦ।
ଉତ୍ତର : ହଁ । ‘ହଁ’ – ଗୋଟିଏ ପଦ ।

Note

💡 ସୂତ୍ର : ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ ।


୧.୧. ଗୋଟିଏ ଶୁଦ୍ଧ ବାକ୍ୟରେ ରହିଥିବା ଅଙ୍ଗଗୁଡ଼ିକ

୧.୧.୧. ଯୋଗ୍ୟତା :

  • କ. ବାଳକଟି ଉଡୁଅଛି । (ବାଳକ ଉଡ଼ି ପାରେନା)
  • ଖ. ଛେଳି ଗୀତ ଗାଉଛି । (ଛେଳି ଗୀତ ଗାଇବାକୁ ଯୋଗ୍ୟ ନୁହେଁ ।)
  • ଗ. ଗଛଟି ପାଣିରେ ଜଳିଗଲା । (ପାଣି ଗଛକୁ ଜାଳିପାରେ ନାହିଁ ।)

ତେଣୁ ଉଦାହୃତ ବାକ୍ୟଗୁଡ଼ିକ ନିମ୍ନକ୍ରମରେ ପଢ଼ିବାକୁ ହେବ:

  • କ. ବାଳକଟି ଦୌଡ଼ୁଅଛି ।
  • ଖ. ସବିତା ଗୀତ ଗାଉଅଛି ।
  • ଗ. ଗଛଟି ନିଆଁରେ ପୋଡ଼ିଗଲା ।
Note

ସଂଜ୍ଞା : ବାକ୍ୟରେ ବ୍ୟବହାର କରାଯାଉଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଏବଂ ଉପଯୁକ୍ତ ଅର୍ଥ ପ୍ରକାଶ କରିବା କ୍ଷମତାକୁ ଯୋଗ୍ୟତା କୁହାଯାଏ ।

୧.୧.୨. ଆକାଂକ୍ଷା :

  • କ. ମଦନ ସହିତ......... ବାକ୍ୟଟି ପୂର୍ଣ୍ଣ ନୁହେଁ ଏହା ଅନ୍ୟ କିଛି କଥାକୁ ଅପେକ୍ଷା କରୁଛି ।
  • ଖ. ରବିବାର ଦିନ ଚପଳା... ବାକ୍ୟ ଅନ୍ୟକିଛି ପଦକୁ ଅପେକ୍ଷା କରୁଛି, ତେଣୁ ପୂର୍ଣ୍ଣ ନୁହେଁ ।

ନିମ୍ନକ୍ରମରେ ବାକ୍ୟ ଦୁଇଟିର ପୂର୍ଣ୍ଣତା ଅଣାଯାଇପାରେ:

  • କ. ମଦନ ସହିତ ତାଙ୍କ ବାପା ଆସିବେ ।
  • ଖ. ରବିବାର ଦିନ ଚପଳା ଭୁବନେଶ୍ୱର ଯିବ ।
Note

ସଂଜ୍ଞା : ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ବା ବାକ୍ୟର ଅର୍ଥ ପୂରଣ ପାଇଁ ଅପେକ୍ଷା କଲେ, ତାହାକୁ ଆକାଂକ୍ଷା କୁହାଯାଏ ।

୧.୧.୩. ଆସତ୍ତି :

  • କ. ହୋଇ ହେଲେ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ତପସିଦ୍ଧ ।
  • ଖ. ଉଭୟେ ଏ ମିଶି ଛବି ଓ ବନ୍ଦନା ଆଙ୍କିଛନ୍ତି ଚନ୍ଦନା ।

ପ୍ରଦତ୍ତ ବାକ୍ୟ ଦୁଇଟିରେ କର୍ତ୍ତା, କ୍ରିୟା ଥିଲେ ମଧ୍ୟ ପ୍ରକୃତ ଅର୍ଥ ବୁଝା ପଡୁନାହିଁ। ପଦଗୁଡ଼ିକ ସଜାଇ ଲେଖାଗଲେ:

  • କ. ଗୌତମ ତପସିଦ୍ଧ ହୋଇ ବୁଦ୍ଧତ୍ୱ ପ୍ରାପ୍ତ ହେଲେ ।
  • ଖ. ଚନ୍ଦନା ଓ ବନ୍ଦନା ଉଭୟେ ମିଶି ଏ ଛବି ଆଙ୍କିଛନ୍ତି ।
Note

ସଂଜ୍ଞା : ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସତ୍ତି । ଏହା ଦ୍ଵାରା କାହା ପରେ କେଉଁପଦ ରହିଲେ, ତାହା ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ତାହା ବୁଝାଯାଏ । ଆସତ୍ତିକୁ ମଧ୍ୟ ପଦବିନ୍ୟାସ କୁହାଯାଏ ।

୧.୧.୪. ବାକ୍ୟାଂଶ :

  • କ. ହରିହରଙ୍କ କଥା ଶୁଣି ମାଆ .....
  • ଖ. ଘଣ୍ଟା ବାଜିଲା, ଅଥଚ ପିଲାମାନେ .....

ଏ ଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନ୍ୟ କେତୋଟି ପଦର ଆବଶ୍ୟକତା ଅଛି:

  • କ. ହରିହରଙ୍କ କଥା ଶୁଣି ମାଆ ଆଶ୍ଚର୍ଯ୍ୟ ହେଲେ
  • ଖ. ଘଣ୍ଟା ବାଜିଲା, ଅଥଚ ପିଲାମାନେ ଶ୍ରେଣୀକୁ ଆସିଲେ ନାହିଁ
Note

ସଂଜ୍ଞା : ବାକ୍ୟର ବୁଝାପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦସଂହତିକୁ ବାକ୍ୟାଂଶ କୁହାଯାଏ ।

୧.୧.୫. ଖଣ୍ଡବାକ୍ୟ :

  • କ. ଯେଉଁମାନେ ବୃଥାରେ ସମୟ କାଟନ୍ତି, .....
  • ଖ. କିଏ ପ୍ରଥମ ହେବ .....

କ. ‘ଯେଉଁମାନେ’ – କର୍ତ୍ତା, ‘କାଟନ୍ତି’ କ୍ରିୟାପଦ ।
ଖ. ‘କିଏ’ କର୍ତ୍ତା, ‘ହେବ’ – କ୍ରିୟାପଦ ।

ଦୁଇଟି ବାକ୍ୟରେ କର୍ତ୍ତା ଓ କ୍ରିୟା ଥାଇ ମଧ୍ୟ ଏହା ମନୋଭାବ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁନାହିଁ। ବିଚାରାଯାଉଥିବା ନିର୍ଦ୍ଦିଷ୍ଟ ଅଂଶଟିକୁ ଖଣ୍ଡବାକ୍ୟ କୁହାଯିବ।

Note

ସଂଜ୍ଞା : ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ବା ପ୍ରଧାନ ବାକ୍ୟର ଅର୍ଥ ଉପରେ ନିର୍ଭର କରୁଥିବା ବାକ୍ୟାଂଶକୁ ଖଣ୍ଡବାକ୍ୟ କୁହାଯାଏ ।


୧.୨. ପଦ ବିନ୍ୟାସ

‘କହିଜାଣିଲେ ଫାଙ୍କ ପଡ଼, ପଗା ହୁଅନ୍ତି ବିଜେ ସେ’ – ଭଲ ଭାବରେ କହିବା ଜଣା ଥିଲେ, ଖରାପକୁ ମଧ୍ୟ ଭଲ ବୋଲି ସାବ୍ୟସ୍ତ କରିହୁଏ । ‘କହିବା ଜାଣିବା’ ହେଉଛି ବାକ୍ୟ ଗଢ଼ିବାର କୌଶଳ । ଶୁଦ୍ଧ ବାକ୍ୟ ଗଢ଼ିବାକୁ ହେଲେ କେତୋଟି ନିୟମ ପ୍ରତି ଧ୍ୟାନ ଦେବାକୁ ପଡ଼େ। ଏହାକୁ ପଦବିନ୍ୟାସ କୁହାଯାଏ ।

୧. ରାମଚନ୍ଦ୍ର ରାବଣକୁ ବଧ କରିଥିଲେ ।

Note

ବାକ୍ୟର ଆରମ୍ଭରେ କର୍ତ୍ତାଶେଷରେ କ୍ରିୟାପଦ ରହେ ।

୨. ଅକ୍ଷୟ ଗୋଟିଏ ଭଲ ଗୀତ ଗାଇଲେ ।

Note

ବାକ୍ୟରେ କ୍ରିୟା ସକର୍ମକ ହୋଇଥିଲେ କର୍ମ ପଦଟି କ୍ରିୟା ପୂର୍ବରୁ ରହେ ।

୩. ପଣ୍ଡିତ ଶିଷ୍ୟମାନଙ୍କୁ ଉପଦେଶ ଦେଲେ ।

Note

ବାକ୍ୟରେ ଦ୍ବିକର୍ମକ କ୍ରିୟାର ଗୌଣ କର୍ମ ପରେ ମୁଖ୍ୟ କର୍ମ ବ୍ୟବହାର କରାଯାଏ (ଶିଷ୍ୟମାନଙ୍କୁ-ଗୌଣ, ଉପଦେଶ-ମୁଖ୍ୟ)।

୪. ହେ ଭଗବାନ ! ମତେ ରକ୍ଷାକର / ମୋତେ ଶକ୍ତି ଦିଅ ପ୍ରଭୁ !

Note

ବାକ୍ୟରେ ସମ୍ବୋଧନ ପଦ ଆରମ୍ଭରେ ବା ଶେଷରେ ରଖାଯାଏ ।

୫. ଚତୁର ଲୋକ ସବୁଠି ଜିତନ୍ତି ।

Note

ବାକ୍ୟରେ ବିଶେଷଣ ପଦ ବିଶେଷ୍ୟ ପଦ ପୂର୍ବରୁ ବସେ ।

୬. ଜମିଦାରଙ୍କ ପୁଅ ସୁରେନ୍ଦ୍ର ଏ ମନ୍ଦିର ତୋଳିଛନ୍ତି ।

Note

ବାକ୍ୟରେ ସମ୍ବନ୍ଧ ପଦ (ଜମିଦାରଙ୍କ) ସମ୍ବନ୍ଧିତ ପଦ (ପୁଅ / ସୁରେନ୍ଦ୍ର) ପୂର୍ବରୁ ବସେ ।

୭. ସକାଳେ କାମ ଆରମ୍ଭ ହୁଏ ।

Note

ବାକ୍ୟର ଆରମ୍ଭରେ ବେଳେବେଳେ ଅଧିକରଣ କାରକ (ସକାଳେ) ରଖାଯାଏ ।

୮. ଏହା କେବଳ ସମ୍ଭବ ହେବ କଠିନ ଶ୍ରମ ଦ୍ଵାରା । / ତୁମର କାମ ହେଉଛି, ଘର ଜଗିବା ।

Note

ଗୁରୁତ୍ଵ ଆରୋପ ପାଇଁ ଯେ କୌଣସି ପଦ ବାକ୍ୟର ଆରମ୍ଭରେ ବା ଶେଷରେ ବସିପାରେ ।

୯. ରମେଶଙ୍କ ବିନା ଏ କାମ ହୋଇ ପାରିବ ନାହିଁ ।

Note

ବାକ୍ୟରେ ପଦାନ୍ଵୟୀ ଅବ୍ୟୟ (ବିନା) ସମ୍ବନ୍ଧିତ ପଦର ପରେ ବ୍ୟବହୃତ ହୁଏ ।

୧୦. ବାପା ଜେଜେବାପା ଓ ଜେଜେମାଆଙ୍କର ଯନ୍ନ ନିଅନ୍ତି ।

Note

ବିଭିନ୍ନ ବ୍ୟକ୍ତିଙ୍କର ସମ୍ବନ୍ଧ ବୁଝାଇବାକୁ ହେଲେ ପ୍ରତ୍ୟେକ ସମ୍ବନ୍ଧ ପଦ ବିଭକ୍ତିଯୁକ୍ତ ହୁଏ

୧୧. ଚନ୍ଦ୍ରମୋହନ କଟକ ଗଲା ନାହିଁ । / କାଲି ତମେ ଘରେ ନ ଥିଲ ।

Note

ବାକ୍ୟରେ ‘ନାହିଁ’ ସଂପୃକ୍ତ ପଦ କ୍ରିୟାପଦ ପରେ ବସେ ଓ ‘ନ’ କ୍ରିୟାର ପୂର୍ବରୁ ବସେ ।

୧୨. ରାଜକ ସୁଦାମଙ୍କୁ ବେତରେ ପିଟିଲେ / ମିତା, ଘରେ ଶିକ୍ଷକଙ୍କୁ ଦେଖାକଲା ।

Note

ବାକ୍ୟରେ କରଣ, ସଂପ୍ରଦାନ, ଅପାଦାନ ଓ ଅଧିକରଣ କାରକର ପଦ କର୍ମର ପରେ ବା ପୂର୍ବରୁ ବ୍ୟବହୃତ ହୋଇପାରେ ।


୧.୩. ବାକ୍ୟର ପ୍ରକାର ଭେଦ (Classification of Sentences)

ବାକ୍ୟ ରୂପ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ:

୧. ଗଠନାତ୍ମକ ରୂପ:

୧.୩.୧. ସରଳ ବାକ୍ୟ (Simple Sentence) :
ଗୋବର୍ଦ୍ଧନ ଦରିଦ୍ରମାନଙ୍କର ସେବାକରନ୍ତି / ପ୍ରସନ୍ନ ଜଣେ ଶିକ୍ଷକ।

Note

ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ।

୧.୩.୨. ଯୌଗିକ ବାକ୍ୟ (Compound Sentence) :
ପବିତ୍ର ପହଞ୍ଚିଲା, ସୁଷମା ଆସିଲା ଓ ଉଭୟେ ମିଶି ପାଠ ପଢ଼ିଲେ। / ମନୋଜ ଶ୍ରେଣୀରେ ବସିଲା, ମାତ୍ର ପଢ଼ି ପାରିଲା ନାହିଁ।

Note

ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଽଧିକ ସରଳ ବାକ୍ୟର ସମାହାର ଯୋଗେ (ଓ, ଏବଂ, କିନ୍ତୁ, ମାତ୍ର ବ୍ୟବହାର କରି) ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ।

୧.୩.୩. ଜଟିଳ ବାକ୍ୟ (Complex Sentence) :
ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା।

Note

ଦୁଇ ବା ତତୋଽଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର (ଯେତେବେଳେ...ସେତେବେଳେ, ଯେଉଁ...ସେଇ) ସମନ୍ୱୟରେ ଜଟିଳ ବାକ୍ୟ ଗଠିତ ହୁଏ।

୧.୩.୪. ମିଶ୍ରବାକ୍ୟ (Mixed Sentence) :
ଗୀତ, ବାଦ୍ୟ ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ।

Note

ଯେ କୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ରବାକ୍ୟ କୁହାଯାଏ।

୨. ପ୍ରକାର୍ଯ୍ୟାତ୍ମକ ରୂପ:

୧. ବିବୃତିସୂଚକ ବାକ୍ୟ: ନିର୍ଦ୍ଦିଷ୍ଟ ବିଷୟକ ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟ ।
୨. ଆଦେଶ / ଅନୁରୋଧସୂଚକ ବାକ୍ୟ: ଆଦେଶ ବା ଅନୁରୋଧ ପ୍ରକାଶ କରୁଥିବା ବାକ୍ୟ (ଉଦାହରଣ: ଦୟାକରି ମୋତେ ବହିଟି ଦିଅ) ।
୩. ପ୍ରଶ୍ନସୂଚକ ବାକ୍ୟ: ପ୍ରଶ୍ନ ପଚରାଯାଇଥିବା ବାକ୍ୟ (ଉଦାହରଣ: ତୁମ ନାମ କ’ଣ?) ।
୪. ବିସ୍ମୟସୂଚକ ବାକ୍ୟ: ଆଶ୍ଚର୍ଯ୍ୟ ବା ବିସ୍ମୟ ପ୍ରକାଶ କରୁଥିବା ବାକ୍ୟ (ଉଦାହରଣ: ଆହା ! କି ସୁନ୍ଦର ଦୃଶ୍ୟ) ।
୫. ନାସ୍ତିସୂଚକ ବାକ୍ୟ: ନାସ୍ଥି ବା ଅଭାବ ସୂଚାଉଥିବା ବାକ୍ୟ (ଉଦାହରଣ: ମୁଁ ଆଜି ଯାଇପାରିବି ନାହିଁ) ।


୧.୪. ବାକ୍ୟ ରୂପାନ୍ତର

ଗୋଟିଏ ପ୍ରକାରର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାରର ବାକ୍ୟରେ ପରିଣତ କରିବାକୁ ବାକ୍ୟ ରୂପାନ୍ତର କୁହାଯାଏ।

  • ସରଳରୁ ଯୌଗିକ: ହରି ଭଲ ନାଚିବାକୁ ସୁନାମ ଅର୍ଜନ କରିଛି। -> ହରି ଭଲ ନାଚୁଛି ସେଥିପାଇଁ ସୁନାମ ଅର୍ଜନ କରୁଛି।
  • ବିବୃତିରୁ ପ୍ରଶ୍ନସୂଚକ: ଉତ୍କଳମଣି ଗୋପବନ୍ଧୁଙ୍କ ଅମଳ ଜଣେ ଦେଶସେବକ ଥିଲେ। -> ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ଦେଶସେବକ ଆଉ କାହାନ୍ତି?

୧.୫. ବାକ୍ୟ ସଂକ୍ଷେପଣ

ବାକ୍ୟକୁ ସଂକ୍ଷେପରେ (ଅଳ୍ପ ଶବ୍ଦରେ) ପ୍ରକାଶ କରିବାକୁ ବାକ୍ୟ ସଂକ୍ଷେପଣ କୁହାଯାଏ।

  • ସନ୍ଧି ଦ୍ୱାରା: ଅତି ଆବଶ୍ୟକ ଜିନିଷର ଦର ଅଧିକ ବଢୁଛି। -> ଅତ୍ୟାବଶ୍ୟକ ଜିନିଷର ଦର ବଢୁଛି।
  • ସମାସ ଦ୍ୱାରା: ସ୍ୱାମୀ ଓ ସ୍ତ୍ରୀ ଦୁଇଜଣଯାକ ଆଜି ଆସିବେ। -> ଦମ୍ପତି ଆଜି ଆସିବେ।
  • କୃଦନ୍ତ ଦ୍ୱାରା: ଜାଣିବାକୁ ଇଚ୍ଛା କରୁଥିବା ଛାତ୍ର ବିଦ୍ୟାଲାଭ କରିବ। -> ଜିଜ୍ଞାସୁ ଛାତ୍ର ବିଦ୍ୟାନ୍ ହେବ।

ପ୍ରଶ୍ନୋତ୍ତର ବିଭାଗ (Textbook Exercise Questions and Answers)

(A) ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧. ବାକ୍ୟ କାହାକୁ କୁହାଯାଏ ?
ଉତ୍ତର: ଏକ ବା ଏକାଧ୍ଵକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ, ତାହାକୁ ବାକ୍ୟ କୁହାଯାଏ ।

୨. ଯୋଗ୍ୟତା କାହାକୁ କୁହାଯାଏ ?
ଉତ୍ତର: ବାକ୍ୟରେ ବ୍ୟବହାର କରାଯାଉଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧ ଏବଂ ଅର୍ଥ ପ୍ରକାଶ କରିବାର ଉପଯୁକ୍ତତାକୁ ଯୋଗ୍ୟତା କୁହାଯାଏ ।

୩. ଆକାଂକ୍ଷା କାହାକୁ କୁହାଯାଏ ?
ଉତ୍ତର: ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ବା ବାକ୍ୟ ପୂରଣ ପାଇଁ ଅପେକ୍ଷା କଲେ, ତାହାକୁ ଆକାଂକ୍ଷା କୁହାଯାଏ ।

୪. ଆସତ୍ତି କାହାକୁ କୁହାଯାଏ ?
ଉତ୍ତର: ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସତ୍ତି; ଏହାଦ୍ଵାରା କାହା ପରେ କେଉଁ ପଦ ରହିଲେ ବାକ୍ୟର ଭାବ ସ୍ପଷ୍ଟ ଭାବେ ପ୍ରକାଶିତ ହେବ ତାହା ନିର୍ଦ୍ଧାରିତ ହୁଏ ।

୫. ଆସତ୍ତିକୁ ଆଉ କ’ଣ କୁହାଯାଏ ?
ଉତ୍ତର: ଆସତ୍ତିକୁ ପଦବିନ୍ୟାସ କୁହାଯାଏ ।

୬. ବାକ୍ୟାଂଶ କାହାକୁ କୁହାଯାଏ ?
ଉତ୍ତର: ବାକ୍ୟର ବୁଝାପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦସଂହତିକୁ ବାକ୍ୟାଂଶ କୁହାଯାଏ ।

୭. ଖଣ୍ଡବାକ୍ୟ କାହାକୁ କୁହାଯାଏ ?
ଉତ୍ତର: ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶକୁ ଖଣ୍ଡବାକ୍ୟ କୁହାଯାଏ ।

୮. ପଦବିନ୍ୟାସ କାହାକୁ କୁହାଯାଏ ?
ଉତ୍ତର: ଶୁଦ୍ଧ ବାକ୍ୟଗଠନ ନିମନ୍ତେ ପଦଗୁଡ଼ିକୁ ସଜାଇ ରଖିବାର କୌଶଳକୁ ବାକ୍ୟର ପଦବିନ୍ୟାସ କୁହାଯାଏ ।

୯. ବାକ୍ୟର ଗଠନାତ୍ମକ ରୂପ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
ଉତ୍ତର: ବାକ୍ୟର ଗଠନାତ୍ମକ ରୂପ ଚାରିଭାଗରେ ବିଭକ୍ତ; ଯଥା- (୧) ସରଳ ବାକ୍ୟ, (୨) ଯୌଗିକ ବାକ୍ୟ, (୩) ଜଟିଳ ବାକ୍ୟ, (୪) ମିଶ୍ର ବାକ୍ୟ ।

୧୦. ବାକ୍ୟର ପ୍ରକାର୍ଯ୍ୟାତ୍ମକ ରୂପ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
ଉତ୍ତର: ବାକ୍ୟର ପ୍ରକାର୍ଯ୍ୟାତ୍ମକ ରୂପ ପାଞ୍ଚ ଭାଗରେ ବିଭକ୍ତ; ଯଥା- (୧) ବିବୃତିସୂଚକ, (୨) ଆଦେଶ /ଅନୁରୋଧ ସୂଚକ, (୩) ପ୍ରଶ୍ନସୂଚକ, (୪) ବିସ୍ମୟସୂଚକ, (୫) ନାସ୍ତିସୂଚକ ବାକ୍ୟ ।

୧୧. ସରଳ ବାକ୍ୟ କାହାକୁ କହନ୍ତି ?
ଉତ୍ତର: ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ ।

୧୨. ଯୌଗିକ ବାକ୍ୟ କାହାକୁ କହନ୍ତି ?
ଉତ୍ତର: ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଽଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ ।

୧୩. ଜଟିଳ ବାକ୍ୟ କାହାକୁ କୁହାଯାଏ ?
ଉତ୍ତର: ଦୁଇ ବା ତତୋଽଧ୍ଵକ ପରସ୍ପର ସାପେକ୍ଷ ଖଣ୍ଡବାକ୍ୟର ସମନ୍ବୟରେ ଗଠିତ ବାକ୍ୟକୁ ଜଟିଳ ବାକ୍ୟ କୁହାଯାଏ ।

୧୪. କେଉଁ କେଉଁ ବାକ୍ୟ ମିଶି ଜଟିଳ ବାକ୍ୟ ଗଠିତ ହୁଏ ?
ଉତ୍ତର: ଅପ୍ରଧାନ ବାକ୍ୟ (ଖଣ୍ଡବାକ୍ୟ) ସହିତ ପ୍ରଧାନ ବାକ୍ୟ ମିଶି ଜଟିଳ ବାକ୍ୟ ଗଠିତ ହୁଏ ।

୧୫. ମିଶ୍ରବାକ୍ୟ କାହାକୁ କହନ୍ତି ?
ଉତ୍ତର: ଯେକୌଣସି ପ୍ରକାର ବାକ୍ୟ (ସରଳ, ଯୌଗିକ, ଜଟିଳ) ଗୁଡ଼ିକର ସମନ୍ବିତ ରୂପକୁ ମିଶ୍ରବାକ୍ୟ କୁହାଯାଏ ।

(B) ଗୋଟିଏ ଶବ୍ଦ/ପଦରେ ଉତ୍ତର ଲେଖ ।

  • ୧. ବାକ୍ୟରେ ବ୍ୟବହୃତ ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ କ’ଣ କୁହାଯାଏ ? -> ଯୋଗ୍ୟତା
  • ୨. ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ କ’ଣ କୁହାଯାଏ ? -> ଖଣ୍ଡବାକ୍ୟ
  • ୩. ବାକ୍ୟରେ ଦ୍ବିକର୍ମକ କ୍ରିୟାର ମୁଖ୍ୟକର୍ମ କେଉଁଠାରେ ବ୍ୟବହାର କରାଯାଏ ? -> ଗୌଣ କର୍ମ ପରେ
  • ୪. ଏକ ବା ଏକାଧ୍ଵକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାହାକୁ କ’ଣ କୁହାଯାଏ ? -> ବାକ୍ୟ
  • ୫. ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଽଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ କି ବାକ୍ୟ କୁହାଯାଏ ? -> ଯୌଗିକ
  • ୬. ବାକ୍ୟରେ ‘ନାହିଁ’ ସଂଯୁକ୍ତ ପଦ କେଉଁଠାରେ ରହିବା ଉଚିତ ? -> କ୍ରିୟା ପରେ
  • ୭. ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟକୁ କ’ଣ କୁହାଯାଏ ? -> ଆସତ୍ତି (ପଦବିନ୍ୟାସ)
  • ୮. ବାକ୍ୟରେ ସମ୍ବୋଧନ ପଦ କେଉଁଠାରେ ରଖାଯାଏ ? -> ଆରମ୍ଭ ବା ଶେଷରେ
  • ୧୧. ବାକ୍ୟରେ କ୍ରିୟା ସକର୍ମକ ହୋଇଥିଲେ କର୍ମପଦଟି କେଉଁଠାରେ ବସେ ? -> କ୍ରିୟା ପୂର୍ବରୁ
  • ୧୨. ବାକ୍ୟରେ ବିଶେଷ୍ୟ ପଦ ପୂର୍ବରୁ କେଉଁ ପଦ ବସେ ? -> ବିଶେଷଣ ପଦ
  • ୧୩. ବାକ୍ୟରେ ସମ୍ବନ୍ଧିତ ପଦ ପୂର୍ବରୁ କେଉଁ ପଦ ବସେ ? -> ସମ୍ବନ୍ଧ ପଦ
  • ୧୪. ବାକ୍ୟରେ ଗୁରୁତ୍ବ ଆରୋପଣ ପାଇଁ ଥିବା ବାକ୍ୟାଂଶ କେଉଁଠାରେ ବସିପାରେ ? -> ବାକ୍ୟ ଆରମ୍ଭରେ

(C) ନିର୍ଦ୍ଦେଶାନୁସାରେ ଉତ୍ତର ଲେଖ ।

  • ୧. ମାଆଙ୍କର ରନ୍ଧା ଚାଲିଛି । (କେଉଁ ବାଚ୍ୟ ?) -> ଭାବବାଚ୍ୟ
  • ୨. କବିମାନଙ୍କ ମଧ୍ୟରେ ସାରଳା ଦାସ ଆଦିକବି ଅଟନ୍ତି । (କି ପ୍ରକାର ବାକ୍ୟ ?) -> ବିବୃତିସୂଚକ
  • ୩. କାଲିର କାମ ଯଦି ଆଜି କରୁଛ ତେବେ ଆଜିର କାମ ଏବେ କର । (କେଉଁ ପ୍ରକାର ବାକ୍ୟ ?) -> ଜଟିଳ
  • ୪. ଆଜି କେତେ ତାରିଖ ? (କେଉଁ ପ୍ରକାର ବାକ୍ୟ ?) -> ପ୍ରଶ୍ନସୂଚକ
  • ୫. ବିଜୟର କଲିକତା ଯିବା ହେବ । (କେଉଁ ବାଚ୍ୟ ?) -> କର୍ମବାଚ୍ୟ
  • ୬. ପାନ ବେପାର କରୁଥିବା ଲୋକଟି ଅନ୍ୟ ଗ୍ରାମକୁ ଗଲା । (ରେଖାଙ୍କିତ ପଦକୁ ସଂକ୍ଷେପ କଲେ) -> ପାନରା
  • ୭. ରମେଶଙ୍କ ବିନା ଏ କାମ ହୋଇପାରିବ ନାହିଁ । (ବିନା କି ପଦ) -> ଅବ୍ୟୟ
  • ୮. ତମର ନିୟମ ମୁଁ ପାଳିପାରିବି ନାହିଁ । (କି ପ୍ରକାର ବାକ୍ୟ) -> ନାସ୍ତିସୂଚକ
  • ୧୦. ସତରେ ତୁମେ ଆସିଛ ? (କେଉଁ ପ୍ରକାର ବାକ୍ୟ ?) -> ପ୍ରଶ୍ନସୂଚକ
  • ୧୧. ଯାହା କରିବା ଉଚିତ ତାହା କର । (ରେଖାଙ୍କିତ ପଦକୁ ସଂକ୍ଷେପଣ) -> କର୍ତ୍ତବ୍ୟ
  • ୧୩. ଜାଣିବାକୁ ଇଚ୍ଛା କରୁଥିବା ଛାତ୍ର ବିଦ୍ୟାଲାଭ କରିବ । (ସଂକ୍ଷେପଣ) -> ଜିଜ୍ଞାସୁ
  • ୧୪. ଆଜି କି ଟାଣ ଖରା ! (କି ପ୍ରକାର ବାକ୍ୟ) -> ବିସ୍ମୟସୂଚକ
  • ୧୬. ‘ବାପା ବଜାରକୁ ଯାଇ ମାଛ ଆଣିଲେ’ (ଗଠନ ଦୃଷ୍ଟିରୁ) -> ସରଳ ବାକ୍ୟ
  • ୧୭. ‘ପୂଜା ବିଦ୍ୟାଳୟକୁ ଗଲା, ମାତ୍ର ଶ୍ରେଣୀରେ ବସିପାରିଲା ନାହିଁ’ -> ଯୌଗିକ ବାକ୍ୟ
  • ୧୮. ଅଜା ଯେତେବେଳେ ଘରେ ପହଞ୍ଚିଲେ ସେତେବେଳେ ଚନ୍ଦ୍ରକାନ୍ତ ଘରେ ନଥୁଲା -> ଜଟିଳ ବାକ୍ୟ
  • ୨୧. ‘ବେଞ୍ଚ ଉପରେ ଛିଡ଼ାହୁଅ’ (ପ୍ରକାର୍ଯ୍ୟ ଦୃଷ୍ଟିରୁ) -> ଆଦେଶସୂଚକ
Hi! Need help with studies? 👋
AI